ନୂଆଦିଲ୍ଲୀ, : ମେଲବର୍ଣ୍ଣ କନସର୍ଟରେ ବିଳମ୍ବରେ ପହଞ୍ଚିବା ନେଇ ବିବାଦରେ ଅଛନ୍ତି ବଲିଉଡର ପ୍ରସିଦ୍ଧ ଗାୟିକା ନେହା
କକ୍କର । ୩ ଘଣ୍ଟା ବିଳମ୍ବରେ ପହଞ୍ଚିବା ଯୋଗୁଁ ହଟହଟା ହୋଇଥିଲେ ନେହା । ଲୋକେ ତାଙ୍କୁ ଟ୍ରୋଲ ମଧ୍ୟ କରିଥିଲେ । ଖାଲି ଏତିକି ନୁହେଁ ଗୋ ବ୍ୟାକ୍ ନାରାରେ କମ୍ପିଥିଲା ମେଲବର୍ଣ୍ଣ ଲାଇଭ କନସର୍ଟ ଭେନୁ୍ୟ । ଆଉ ଏବେ ଆୟୋଜକଙ୍କ ୪.୫୨ କୋଟି ଟଙ୍କାର କ୍ଷତି ଦାବି ଉପରେ ଜବାବ ଦେଇଛନ୍ତି ନେହା । ମେଲବର୍ଣ୍ଣ କନସର୍ଟ, ଯେଉଁଠାରେ ନେହା ଲାଇଭ୍ ପ୍ରଦର୍ଶନ ସମୟରେ ବହୁତ କାନ୍ଦୁଥିବାର ଦେଖାଯାଇଥିଲା । କନସର୍ଟକୁ ବିଳମ୍ବରେ ପହଞ୍ଚିବା ଯୋଗୁଁ ଲୋକ ତାଙ୍କୁ ଫେରିଯିବାକୁ ମଧ୍ୟ କହିଥିଲେ । ପରେ, ନେହା ସ୍ପଷ୍ଟ କରିଥିଲେ ଯେ, ଆୟୋଜକମାନେ ତାଙ୍କ ଟଙ୍କା ନେଇ ପଳାଇ ଯାଇଥିଲେ ଏବଂ ତାଙ୍କ ଦଳକୁ ଖାଦ୍ୟ, ପାଣି ଏବଂ ହୋଟେଲର କୌଣସି ସୁବିଧା ଦିଆଯାଇ ନଥିଲା । ତଥାପି, ସୋ’ର ଆୟୋଜକ ଏହି ଅଭିଯୋଗଗୁଡ଼ିକୁ ଅସ୍ୱୀକାର କରିବା ସହ ନେହାଙ୍କ ଅବହେଳା ଯୋଗୁଁ ସେମାନଙ୍କର
୪.୫୨ କୋଟି ଟଙ୍କାର କ୍ଷତି ହୋଇଛି ବୋଲି ଦାବି କରିଛନ୍ତି । ଏହି ବିବାଦ ମଧ୍ୟରେ, ନେହା ଗୁଡ଼ି ପଡ଼ୱା ଅବସରରେ ଇନଷ୍ଟାଗ୍ରାମ ଏକ ପୋଷ୍ଟ ସେୟାର କରିଥିଲେ । ସେଥିରେ ଲେଖିଥିଲେ ଯେ, ‘ମୁଁ ନିଜକୁ ଧନ୍ୟ ମନେ କରୁଛି କାରଣ ମା’ ଦୁର୍ଗା ସବୁବେଳେ ମୋ ସହିତ ଅଛନ୍ତି!’ ସମସ୍ତଙ୍କୁ ନବରାତ୍ରିର ଶୁଭେଚ୍ଛା! ପ୍ରଶଂସକମାନେ ଏହି ପୋଷ୍ଟକୁ ବିବାଦ
ସହିତ ଯୋଡୁଛନ୍ତି କାରଣ ଏହାକୁ ତାଙ୍କର ମତାମତ ପ୍ରକାଶ କରିବାର ଏକ ସଙ୍କେତ ଭାବରେ ଦେଖାଯାଉଛି । ୨୮ ମାର୍ଚ୍ଚରେ, ବିଟ୍ସ ପ୍ରଡକ୍ସନ ଫେସବୁକରେ ଲାଇଭ୍ କରି ନେହାଙ୍କ ଅଭିଯୋଗକୁ ମିଥ୍ୟା ବୋଲି କହିଥିଲା । ପରେ ଏକ ଭିଡିଓ ମଧ୍ୟ ସେୟାର କରିଥିଲା । ଯେଉଁଥିରେ ନେହା ବିମାନବନ୍ଦରରେ ଆୟୋଜକଙ୍କୁ ଭେଟିବା ସହ କାରରେ ଆରାମରେ ବାହାରକୁ ଯାଉଥିବାର ଦେଖାଯାଇଛି । ଆୟୋଜକ କହିଥିଲେ, ଆମେ ହୋଟେଲ, ଖାଦ୍ୟ ଏବଂ ସମସ୍ତ
ସୁବିଧା ଯୋଗାଇ ଦେଇଥିଲୁ । ପ୍ରକୃତ ସତ୍ୟ ହେଉଛି ନେହା ଆମଠାରୁ ଟଙ୍କା ନେବା କଥା ନୁହେଁ ବରଂ ଆମେ ନେହାଙ୍କଠାରୁ ଟଙ୍କା ନେବା ଉଚିତ ଥିଲା । ଏହା ଆମର ସବୁଠାରୁ ବଡ଼ ଭୁଲ ଥିଲା ଯେ ଆମେ ତାଙ୍କୁ ସୋ’ ପାଇଁ ବୁକ୍ କରିଥିଲୁ । ଆୟୋଜକମାନେ ଦାବି କରିଛନ୍ତି ଯେ, ନେହା ମାତ୍ର ଗୋଟିଏ ଘଣ୍ଟା ପାଇଁ ପ୍ରଦର୍ଶନ କରିଥିଲେ, ଯେତେବେଳେ ଲୋକମାନେ ଏକ ଲମ୍ବା ପ୍ରଦର୍ଶନ ଆଶା କରୁଥିଲେ । ଏବେ ଦେଖିବାକୁ ବାକି ରହିଲା ଯେ ନେହା କକ୍କର ଏହି ବିବାଦ ଉପରେ ଆଉ କ’ଣ ପଦକ୍ଷେପ ନେଉଛନ୍ତି ।