ନୂଆଦିଲ୍ଲୀ, : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଭାରତର ସର୍ବବୃହତ ମୋବିଲିଟି ଏକ୍ସପୋ \”ଭାରତ ମୋବିଲିଟି ଗ୍ଲୋବାଲ ଏକ୍ସପୋ – ୨୦୨୫\’କୁ ଉଦଘାଟନ କରିଛନ୍ତି । ସଭାକୁ ସମ୍ବୋଧିତ କରି ସେ କ୍ରମାଗତଭାବେ ତୃତୀୟଥର ପାଇଁ ସରକାର ଗଠନ ଲାଗି ନିର୍ବାଚିତ ହୋଇଥିବାରୁ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଚଳିତ ବର୍ଷ ଜାତୀୟ ରାଜଧାନୀ ଅଞ୍ଚଳର ଆଉ ଦୁଇଟି ସ୍ଥାନକୁ ଏହି ପ୍ରଦର୍ଶନୀର କାୟା ବିସ୍ତାର ହୋଇଥିବା ଉଲ୍ଲେଖ କରି ସେ ଏହି ବର୍ଷର ମୋବିଲିଟି ଏକ୍ସପୋକୁ ବହୁତ ବଡ଼ ଆକାର
ନେଇଥିବା କହିଛନ୍ତି । ଗତବର୍ଷ ଏହି ପ୍ରଦର୍ଶନୀରେ ୮୦୦ରୁ ଅଧିକ ପ୍ରଦର୍ଶକ ଏବଂଦେଢ଼ ଲକ୍ଷରୁ ଅଧିକ ଦର୍ଶକ ଆସିଥିଲେ । ଏଥର ଏଠାରେ ଦର୍ଶକଙ୍କ ସଂଖ୍ୟା ଆହୁରି ବଢ଼ିବ ବୋଲି ଆଶା କରାଯାଇଛି । ଚଳିତ ପ୍ରଦର୍ଶନୀ ସମୟରେ ଅର୍ଥାତ ଆସନ୍ତା ୫ ଦିନ ମଧ୍ୟରେ ଅନେକ ନୂଆ ଯାନ ଏଠାରେ ଉନ୍ମୋଚନ କରାଯିବ ଏବଂ ଏଥିରେ ବହୁ ପ୍ରତିନିଧି ଯୋଗ ଦେବେ ବୋଲି ଶ୍ରୀ ମୋଦି ଉଲ୍ଲେଖ କରିଛନ୍ତି । ଏହି ଅବିବୃଦ୍ଧି ଭାରତରେ ଯାତାୟାତ କ୍ଷେତ୍ରର ଭବିଷ୍ୟତ ସହ ଜଡ଼ିତ ବହୁତ ସକାରାତ୍ମକ ଦିଗକୁ ଦର୍ଶାଉଛି ବୋଲି ସେ ମତ ରଖିଛନ୍ତି । କାର୍ଯ୍ୟକ୍ରମ ସ୍ଥଳରେ ପ୍ରଦର୍ଶନୀ ପରିଦର୍ଶନ ବିଷୟରେ ଉଲ୍ଲେଖ କରି ଶ୍ରୀ ମୋଦି କହିଥିଲେ ଯେ ଭାରତର ଅଟୋମୋବାଇଲ ଶିଳ୍ପ ଚମତ୍କାର ସୃଷ୍ଟି ସହ ଭବିଷ୍ୟତ ପାଇଁ ପ୍ରସ୍ତୁତ ରହିଛି । ସେ ଏହି ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଏହି ଭବ୍ୟ କାର୍ଯ୍ୟକ୍ରମ ଅବସରରେ ରତନ ଟାଟା ଏବଂ ଓସାମୁ ସୁଜୁକିଙ୍କୁ ମନେ ପକାଇଥିଲେ । ଭାରତୀୟ ଅଟୋ କ୍ଷେତ୍ରର ଅଭିବୃଦ୍ଧି ତଥା ଭାରତର ମଧ୍ୟବିତ୍ତ ପରିବାରର ସ୍ୱପ୍ନକୁ ସାକାର କରିବାରେ ଉଭୟ ବିଶିଷ୍ଟ ବ୍ୟକ୍ତିଙ୍କ ଅବଦାନ ଅତୁଳନୀୟ ବୋଲି ସେ ମନ୍ତବ୍ୟ ଦେଇଥିଲେ । ତାଙ୍କର ଐତିହ୍ୟ ଭାରତର ସମଗ୍ର ଯାତାୟାତ କ୍ଷେତ୍ରକୁ ପ୍ରେରଣା ଯୋଗାଇବ ବୋଲି ସେ ବିଶ୍ୱାସବ୍ୟକ୍ତ କରିଥିଲେ । ଲୋକଙ୍କ ଆକାଂକ୍ଷା ଏବଂ ଯୁବବର୍ଗଙ୍କ ଶକ୍ତି ଦ୍ୱାରା ପରିଚାଳିତ ଭାରତର ଅଟୋ ମୋବାଇଲ କ୍ଷେତ୍ରରେ ଏକ ଅଭୂତପୂର୍ବ ପରିବର୍ତ୍ତନ ଦେଖିବାକୁ ମିଳୁଛି, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଗତ ଏକ ବର୍ଷ ମଧ୍ୟରେ ଭାରତୀୟ ଅଟୋ ଶିଳ୍ପ ପ୍ରାୟ ୧୨% ବୃଦ୍ଧି ପାଇଛି । ମେକ୍ ଇନ୍ ଇଣ୍ଡିଆ ଓ ମେକ୍ ଫର୍ ଦି ୱାର୍ଲ୍ଡ ମନ୍ତ୍ର ଯୋଗୁଁ ଏହି କ୍ଷେତ୍ରର ରପ୍ତାନି ବୃଦ୍ଧି ପାଉଛି ବୋଲି ସେ କହିଛନ୍ତି । ଶ୍ରୀ ମୋଦି କହିଥିଲେ ଯେ ଭାରତରେ ବାର୍ଷିକ ବିକ୍ରି ହେଉଥିବା କାର୍ସଂଖ୍ୟା ଅନେକ ଦେଶର ଜନସଂଖ୍ୟାକୁ ଟପିଯାଇଛି । ବର୍ଷକୁ ପାଖାପାଖି ୨.୫ କୋଟି କାରବିକ୍ରି ଏ କ୍ଷେତ୍ରର କ୍ରମାଗତ ଭାବେ ବୃଦ୍ଧି ପାଉଥିବା ଚାହିଦାକୁ ଦର୍ଶାଉଛି ବୋଲି ସେ କହିଛନ୍ତି । ଏଥିଯୋଗୁ ଯାତାୟାତ କ୍ଷେତ୍ରର ଭବିଷ୍ୟତକୁ ନେଇ ଭାରତକୁ ଏତେ ଉଚ୍ଚ ଆଶାରେ ଦେଖାଯାଉଛି ବୋଲି ସେ କହିଥିଲେ । ଭାରତ ବର୍ତ୍ତମାନ ବିଶ୍ୱର ପଞ୍ଚମବୃହତ୍ତମ ଅର୍ଥନୀତି ଏବଂ ତୃତୀୟ ବୃହତ୍ତମ ଯାତ୍ରୀବାହୀ ଯାନ ବଜାର ଭାବେ ପରିଚିତ ହେଉଛି । ଏହା ବିଶ୍ୱର ଶ୍ରଷ୍ଠ ତିନି ଅଟୋ ବଜାର ଆଡ଼କୁ ମୁହାଁଇଛି । ଯେତେବେଳେ ଏହି ଯାତ୍ରାରେ ଦେଶ ଅଗ୍ରସର ହେବ, ଭାରତର ଅଟୋ ମୋବାଇଲ ବଜାରରେ ଅଭୂତପୂର୍ବ ପରିବର୍ତ୍ତନ ଓ ସମ୍ପ୍ରସାରଣ ଦେଖିବାକୁ ମିଳିବ ବୋଲି ସେ କହିଛନ୍ତି । ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶର ବୃହତ ଯୁବ ଜନସଂଖ୍ୟା, ବିସ୍ତାରିତ ମଧ୍ୟବିତ୍ତ ଶ୍ରେଣୀ, ଦ୍ରୁତ ସହରୀକରଣ, ଆଧୁନିକ ଭିତ୍ତିଭୂମି ବିକାଶ ଏବଂ ସୁଲଭ ଯାନ ସମେତ ଭାରତରେ ଯାତାୟାତର ଭବିଷ୍ୟତକୁ ଅନେକ ଭାବେ ପ୍ରୋତ୍ସାହିତ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଅଟୋ ଶିଳ୍ପର ଅଭିବୃଦ୍ଧି ପାଇଁ ଉଭୟ ଆବଶ୍ୟକତା ଏବଂ ଆକାଂକ୍ଷାକୁ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତରେ ଉଭୟ ରହିଛି । ଆସନ୍ତା ଅନେକ ଦଶନ୍ଧି ଯାଏ ଭାରତ ପୃଥିବୀର ଯୁବା ଦେଶ ଭାବେ ପରିଚିତ ହେବ । ଆଟୋ ମୋବାଇଲ୍ କ୍ଷେତ୍ରଲାଗି ଯୁବକ ସବୁଠାରୁ ବଡ଼ ଗ୍ରାହ ହୋଇଥିବାରୁ ଏହି କ୍ଷେତ୍ରର ଭବିଷ୍ୟତ ଦେଶରେ ବହୁତ ଉଜ୍ଜଳ ବୋଲି ସେ କହିଛନ୍ତି । ଏହି ବୃହତ ଯୁବଜନସଂଖ୍ୟା ଯଥେଷ୍ଟ ଚାହିଦା ସୃଷ୍ଟି କରିବ ବୋଲି ସେ ଉଲ୍ଲେଖ କରିଛନ୍ତି ।