ଶ୍ରୀମନ୍ଦିର ସମ୍ପତ୍ତି ପାଇଁ ଗାଇଡଲାଇନ ଆଣିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ପୁରୀ,: ଶ୍ରୀମନ୍ଦିର ସମ୍ପତ୍ତି ହସ୍ତାନ୍ତର ପାଇଁ ଗାଇଡଲାଇନ ଆଣିବାକୁ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଜଗନ୍ନାଥ ମନ୍ଦିରର ସମ୍ପତ୍ତିର ସୁରକ୍ଷା ଏବଂ ପରିଚାଳନା ସମ୍ପର୍କରେ ହାଇକୋର୍ଟ ଓଡ଼ିଶା ସରକାରଙ୍କୁ ନିର୍ଦ୍ଦେଶନାମା ଜାରି କରିଛନ୍ତି । ନିର୍ଦ୍ଦେଶନାମାରେ ମନ୍ଦିରର ସମ୍ପତ୍ତିର ବିକ୍ରୟ, ଲିଜ୍‌, ହସ୍ତାନ୍ତର ଏବଂ ପରିବର୍ତ୍ତନକୁ ନିୟନ୍ତ୍ରଣ କରିବା ପାଇଁ ସ୍ପଷ୍ଟ କରାଯାଇଛି । ଏଥିପାଇଁ ନିର୍ଦ୍ଦେଶନାମା ପ୍ରସ୍ତୁତ କରିବାର ଆବଶ୍ୟକତା ଉପରେ ହାଇକୋର୍ଟ ଗୁରୁତ୍ୱ ଦେଇଛନ୍ତି । ଶ୍ରୀମନ୍ଦିରର ସମ୍ପତ୍ତି ବିବାଦ ସହିତ ଜଡିତ ଏକ ମାମଲାର ଶୁଣାଣି କରି ବିଚାରପତି ଡକ୍ଟର ସଞ୍ଜୀବ କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ ଗଠିତ ଏକ ଡିଭିଜନ ବେଞ୍ଚ ଏହି ନିର୍ଦ୍ଦେଶନାମା ପ୍ରଦାନ କରିଛନ୍ତି । ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ କୌଣସି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ବା ଅନୁଷ୍ଠାନର ଲୋଲୁପ ଦୃଷ୍ଟିକୁ ବରଦାସ୍ତ କରାଯିବ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନ
ସ୍ପଷ୍ଟ କରିଛି । ଶ୍ରୀମନ୍ଦିର ଭୂସମ୍ପତ୍ତି ଗୁଡିକର କମ୍ପ୍ୟୁଟରୀକରଣ ସହ ସଂପୂର୍ଣ୍ଣ ସ୍ୱଚ୍ଛତାର ସହ ରାଜ୍ୟ ସରକାରଙ୍କ ସମାନ ନୀତିରେ ଜମିର ସୁରକ୍ଷା କରାଯିବ । ଶ୍ରୀଜଗନ୍ନାଥ ମନ୍ଦିର ଆଇନ୍ ୧୯୫୫ ଅନୁଯାୟୀ ସମସ୍ତ ଜମିର ସୁରକ୍ଷା କରାଯିବ । ଏହି ମାମଲାରେ ମାନ୍ୟବର କୋର୍ଟ ଦେଇଥିବା ନିର୍ଦ୍ଦେଶ ଆଗାମୀ ଦିନରେ ଶ୍ରୀମନ୍ଦିରର ଭୂସମ୍ପତ୍ତି ପରିଚାଳନା କ୍ଷେତ୍ରରେ ଏକ ମାର୍ଗଦର୍ଶକ ସାଜିବ ଏବଂ ଏହାକୁ କଡାକଡି ଭାବେ ଅନୁପାଳନ କରିବାକୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ବଦ୍ଧପରିକର ବୋଲି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି । ସୂଚନ ଯୋଗ୍ୟ ଖୋର୍ଦ୍ଧା ଜିଲ୍ଲା ଜଟଣି ତହସିଲ କନ୍ତିଆ ମୌଜାର ବହୁମୂଲ୍ୟ ୧୫ ଏକର ଜମିକୁ ନେଇ ନିର୍ଦ୍ଦିଷ୍ଟ ଏକ ସଂସ୍ଥା ପକ୍ଷରୁ ଦାଏର ଏହି ମାମଲାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରିଭ୍ୟୁ ପିଟିସନ ଦାଖଲ ହୋଇଥିଲା । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଡଭୋକେଟ୍‌ ଜେନେରାଲ ପିତାମ୍ବର ଆଚାର୍ଯ୍ୟ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରି ଥିବାବେଳେ, ନିଜେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ
ଅଦାଲତରେ ହାଜର ହୋଇ ମହାପ୍ରଭୁଙ୍କ ଭୂ-ସମ୍ପତ୍ତିର ସ୍ୱାର୍ଥ ରକ୍ଷା ପାଇଁ ପକ୍ଷ ରଖିଥିଲେ । ଆଡଭୋକୋଟ୍ ଆନନ୍ଦ ଚନ୍ଦ୍ର ସ୍ୱାଇଁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ମାମଲାର ପରିଚାଳନା କରୁଥିଲେ ।

Comments (0)
Add Comment