ନୂଆଦିଲ୍ଲୀ, : ଜମ୍ମୁକାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କୀ ହମଲାକୁ ନେଇ ଭାରତ ସରକାର ଦୃଢ ପଦକ୍ଷେପ ନେବାକୁ ଆରମ୍ଭ କରି ଦେଇଛନ୍ତି । ବୁଧବାର ପାକିସ୍ତାନ ବିରୋଧରେ ୫ଟି କଡ଼ା ନିଷ୍ପତ୍ତି ନେବା ପରେ, ଏବେ ଗୁରୁବାର ବିଦେଶ ମନ୍ତ୍ରୀ ଏସ୍.ଜୟଶଙ୍କର ଓ ଗୃହମନ୍ତ୍ରୀ ଅମିତ ଶାହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିବାକୁ ପହଞ୍ଚିଛନ୍ତି । ସୁରକ୍ଷା ପରିସ୍ଥିତିର ଗମ୍ଭୀରତା ଓ ଆଗାମୀ ରଣନୀତି ଉପରେ ଆଲୋଚନା ଦୃଷ୍ଟରୁ ଏହି ଉଚ୍ଚସ୍ତରୀୟ ବୈଠକକୁ ଗୁରୁତ୍ୱପୂର୍ଣ୍ଣ ଭାବେ ମନେକରାଯାଉଛି । ଏହାସହ ବିଦେଶ ମନ୍ତ୍ରଣାଳୟ (ଏମଇଏ)ରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି, ଯେଉଁଥିରେ ଅନେକ ଦେଶର ରାଷ୍ଟ୍ରଦୂତକୁ ଡ଼କାଯାଇଛି । ଏହାକୁ ଦୃଷ୍ଟିରେ ରଖି ଜର୍ମାନୀ, ଜାପାନ, ପୋଲାଣ୍ଡ, ବ୍ରିଟେନ ଓ ରୁଷ୍ ସମେତ ଅନେକ ଦେଶର ରାଷ୍ଟ୍ରଦୂତ ସାଉଥ୍ ବ୍ଲକ୍ ସ୍ଥିତ ବିଦେଶ ମନ୍ତ୍ରଣାଳୟର କାର୍ଯ୍ୟାଳୟରେ ପହଞ୍ଚିଛନ୍ତି । ଏହି କୂଟନୀତିଜ୍ଞମାନଙ୍କୁ ପହଲାଗାମ ଆତଙ୍କୀ ହମଲାର ବିସ୍ତୃତ ସୂଚନା ଦିଆଯାଇଛି ଏବଂ ଭାରତର ସୁରକ୍ଷା ଚିନ୍ତା ଗୁଡ଼ିକ ବିଷୟରେ ଅବଗତ କରାଯାଇଛି । ବିଦେଶ ସଚିବ ବିକ୍ରମ ମିସ୍ତ୍ରି ସବୁ ଦେଶର ରାଷ୍ଟ୍ରଦୂତଙ୍କୁ ପାଖାପାଖି ୩୦ ମିନିଟ୍ ସମୟ ଯାଏ ବ୍ରିଫିଂ ଦେଇଛନ୍ତି । ଚାଇନା ରାଷ୍ଟ୍ରଦୂତ ଜୁ ଫେଇହୋଙ୍ଗଙ୍କୁ ବିଦେଶ ମନ୍ତ୍ରଣାଳୟ ମୁଖ୍ୟାଳୟ ଡ଼କାଯାଇ ଥିଲା । ସୂଚନା ମୁତାବିକ, ଏମଇଏର ବରିଷ୍ଠ ଅଧିକାରୀ ସେମାନଙ୍କୁ ହମଲା ପଛରେ ସମ୍ଭାବିତ ଆତଙ୍କୀ ସଙ୍ଗଠନ, ପାକିସ୍ତାନର ଭୂମିକା ଓ ସୁରକ୍ଷା ଏଜେନ୍ସି ଦ୍ୱାରା କରାଯାଇ ଥିବା କାର୍ଯ୍ୟାନୁଷ୍ଠାନ ବିଷୟରେ ସୂଚନା ଦେଇଛନ୍ତି । ସେନା ପ୍ରମୁଖ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଶୁକ୍ରବାର ନିଜେ ସ୍ଥିତିର ସମୀକ୍ଷା କରିବେ ଏବଂ ବୈସରନର
ହମଲାର ସ୍ଥାନକୁ ଯାତ୍ରା କରିବେ । ସେ ସେଠାରେ ସେନା କମାଣ୍ଡର ଓ ସ୍ଥାନୀୟ ଅଧିକାରୀଙ୍କ ସହ ସୁରକ୍ଷା ବନ୍ଦୋବସ୍ତ ନେଇ ସମୀକ୍ଷା କରିବେ ଓ ଆଗାମୀ ରଣନୀତି ସ୍ଥିର କରିବେ । ସେନାର ଏହି ପଦକ୍ଷେ ଆତଙ୍କବାଦ ବିରୋଧରେ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ନେଇ ଦେଶରେ ଏକ ଦୃଢ ସଙ୍କେତ ଭାବେ ବିବେଚନା କରାଯାଉଛି । ଅନ୍ୟପଟେ ସୁରକ୍ଷା ଏଜେନ୍ସିମାନେ ପହଲଗାମ ଓ ଆଖପାଖ ଅଞ୍ଚଳରେ ତଲାସୀ ଅଭିଯାନକୁ ଜୋରଦାର କରି ଦେଇଛନ୍ତି । ପ୍ରାରମ୍ଭିକ ଯାଞ୍ଚରେ ସୀମା ସେପଟୁ ଆତଙ୍କୀଙ୍କ ଅନୁପ୍ରବେଶ ଓ ତାଙ୍କର ସ୍ଥାନୀୟ ନେଟୱର୍କ ଥିବା ନେଇ ଆଶଙ୍କା କରାଯାଉଛି । ଏନଆଇଏ, ଆଇବି ଓ ସେନା ଗୁଇନ୍ଦା ଏଜେନ୍ସି ଗୁଡ଼ିକ ହମଲା ସହ ସଂପୃକ୍ତ ପ୍ରତି ଦିଗକୁ ଗଭୀରତା ସହ ଯାଞ୍ଚ କରୁଛନ୍ତି । ଘଟଣାସ୍ଥଳରୁ ଜବତଅସ୍ତ୍ରଶସ୍ତ୍ର ଓ ଉପକରଣର ଯାଞ୍ଚ କରି ଆତଙ୍କୀଙ୍କ ଉତ୍ସ ଓ ସମର୍ଥନର ପ୍ରଣାଳୀ ବିଷୟରେ ପତ୍ତା କରାଯାଉଛି ।