ନୂଆଦିଲ୍ଲୀ,: କୁମ୍ଭମେଳାକୁ ନେଇ ଫୁଣି ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଖବର ମୁତାବକ ଉତ୍ତରପ୍ରଦେଶର ଗାଜିପୁର ଅଞ୍ଚଳରେ ଶୁକ୍ରବାର ସକାଳେ କୁମ୍ଭମେଳାରେ ଯୋଗଦେଇ ଫେରୁଥିବା ଭକ୍ତଙ୍କ ଗାଡି ଉପରେ ଏକ ଟ୍ରକ ମାଡିଯାଇଛି । ଏହି ଦୁର୍ଘଟଣାରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଗୁରୁତର ଆହାତ ହୋଇଥିବା ନେଇ ଆଧିକାରିକ ସ୍ତରରେ ସୂଚନା ମିଳିଛି । ସୂଚନା ମୁତାବକ, ଗାଡିରେ ଥିବା ସମସ୍ତ ଭକ୍ତ ଉତ୍ତରପ୍ରଦେଶର ହୋଇଥିବା ବେଳେ ସେମାନେ କୁମ୍ଭରେ ଯୋଗ ଦେଇ ଏକ ପିକଅପ ଗାଡି ଯୋଗେ ଘରକୁ ଫେରୁଥିଲେ । ହଠାତ ଏହି ସମୟରେ ଏକ ଟ୍ରକ ନିୟନ୍ତ୍ରଣ ହରାଇ ଉକ୍ତ ଗାଡିକୁ ଧକ୍କା ଦେଇଥିଲା । ଏହି ଧକ୍କା ଏତେ
ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ୬ ଜଣଙ୍କ ପ୍ରଣବାୟୁ ଉଡିଯାଇଥିଲା । ତେବେ ଖବର ଲେଖାହେବାଯାଏ ଏହି ଦୁର୍ଘଟଣାରେ ୨୦ ଜଣ ଗୁରୁତର ଆହତ ହୋଇ ଗାଜିପୁର ମେଡିକାଲ କଲେଜରେ ଭର୍ତ୍ତି ହୋଇଥିବା ନେଇ ସୂଚନା ମିଳିଛି । ପ୍ରାରମ୍ଭିକ ସ୍ତରରେ ଏହି ଦୁର୍ଘଟଣା ନନ୍ଦଗଞ୍ଜ ପୋଲିସ ଥାନା ଅଧିନ କୁସୁମି କାଲା ଅଞ୍ଚଳରେ ଘଟିଥିବା ନେଇ ସୂଚନା ମିଳିଛି । ତେବେ ଦୁର୍ଘଟମା ଘଟେଇ ସାରିବା ପରେ ଟ୍ରକ ଡ୍ରାଇଭର ଜଣଙ୍କ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଦୁର୍ଘଟଣାରେ ଆହତ ମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିବା ପାଇଁ ସ୍ଥାନିୟ ପ୍ରଶାସନ
ସହ ସ୍ଥାନିୟ ଲୋକମାନେ ସହଯୋଗ କରିଥିଲେ । କୁମ୍ଭମେଳାରେ ଦଳାଚକଟା ହୋଇ ୩୦ ଜଣଙ୍କ ମୃତ୍ୟୁ ହେବା ସହ ୬୦ ଜଣ ଆହତ ହେବା ଘଟଣାର ଦିନକ ପରେ ଏହି ଦୁର୍ଘଟଣା ସମଗ୍ର ଦେଶରେ ଅଲଡୋନ ସୃଷ୍ଟି କରିଛି । ତେବେ
ଘଟଣା ମୁତାବକ ପବିତ୍ର ମୌନି ଅମାବାସ୍ୟାରେ ଅମୃତ ସ୍ନାନ ପାଇଁ ଲକ୍ଷଲକ୍ଷ ଭକ୍ତ ପ୍ରୟାଗରାଜରେ ଏକାଠି ହୋଇଥିଲେ । ଠେଲାପେଲାରେ ହଠାତ ବ୍ୟରିକେଡ ଭାଙ୍ଗି ଯିବାରୁ ହଠାତ ଦଳାଚକଟା ଆରମ୍ଭ ହୋଇଯାଇଥିଲା । ଏହି ଘଟଣା ପରେ ବର୍ତ୍ତମାନ ଉତ୍ତରପ୍ରଦେଶ ସରକାର ବାହାର ରାଜ୍ୟର ଗାଡିକୁ ପ୍ରୟାଗରାଜରେ ପ୍ରବେଶ ଅନୁମତି
ଦେବା ବନ୍ଦ କରିଦେଇଛନ୍ତି ।