ଭାଲେଣ୍ଟାଇନସ ଡେ’ରେ “ଭର୍ଜିନ୍ ଟ୍ରି’କୁ କରାଯାଏ ପୂଜାର୍ଚ୍ଚନା

ନୂଆଦିଲ୍ଲୀ, ୬ ।୨: ଫେବ୍ରୁଆରୀ ୧୪ ତାରିଖକୁ ସାରା ବିଶ୍ୱରେ ଭାଲେଣ୍ଟାଇନ୍ସ ଡେ’ ଅଥବା ପ୍ରେମୀ ଦିବସ ଭାବେ ପାଳନ କରାଯାଇଥାଏ । ଏହିଦିନ ଲୋକମାନେ, ବିଶେଷକରି ଯୁବଗୋଷ୍ଠୀ ନିଜ ନିଜର ପ୍ରେମୀଙ୍କୁ ଉପହାର ଦିଅନ୍ତି । ସପ୍ତାହବ୍ୟାପୀ ପାଳିତ ହେଉଥିବା ଏହି ପ୍ରେମ ପର୍ବ ଦୁନିଆର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଢ଼ଙ୍ଗରେ ଅତି ସୁନ୍ଦର ଭାବରେ ପାଳନ କରାଯାଏ । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ରାଜଧାନୀ ଦିଲ୍ଲୀର ପ୍ରସିଦ୍ଧ ହିନ୍ଦୁ ମହାବିଦ୍ୟାଳୟର ପୁରୁଷ ଛାତ୍ରମାନେ ବିଗତ ଦୀର୍ଘ ଦଶନ୍ଧି ଧରି କଲେଜର ମହିଳା ଛାତ୍ରମାନଙ୍କ ବିରୋଧ ସତ୍ତେ୍ୱ ଏକ ବିବାଦୀୟ ରୀତିନୀତି ମଧ୍ୟରେ ଏହି ଭାଲେଣ୍ଟାଇନ୍ସ ଡେ’ ବା ପ୍ରେମୀ ଦିବସକୁ ନିଆରା ଢ଼ଙ୍ଗରେ ପାଳନ କରିଥାଆନ୍ତି । ଶୁଣିବାକୁ କିଛିଟା ଉଦ୍ଭଟ ମନେ ହେଉଥିଲେ ହେଁ ଏହା କିନ୍ତୁ ସତ ଅଟେ । ଦିଲ୍ଲୀର ହିନ୍ଦୁ ମହାବିଦ୍ୟାଳୟର ପୁରୁଷ ଛାତ୍ରମାନେ ଫେବ୍ରୁଆରି ୧୪ (ଭାଲେଣ୍ଟାଇନ୍ସ ଡେ’)ରେ କୁମାରୀ ବୃକ୍ଷ (ଭର୍ଜିନ୍ ଟ୍ରି)କୁ ପୂଜା କରନ୍ତି । ଏହି ପୂଜାରେ ଜଣେ ପୁରୁଷ ଛାତ୍ର ଧାର୍ମିକ ରୀତିନୀତି କରିବା ପାଇଁ ପୁରୋହିତ ଭାବରେ ବସ୍ତ୍ର ପରିଧାନ କରି ପୂଜାକର୍ମ ସଂପାଦନ କରୁଥିବା ବେଳେ ଅନ୍ୟ ପୁରୁଷ ଛାତ୍ରମାନେ ଦମଦାମୀ ମା’ଙ୍କ ଭଜନ କିମ୍ବା ବଲିଉଡର କିଛି ଅଗ୍ରଣୀ ଅଭିନେତ୍ରୀଙ୍କ ପ୍ରଶଂସାରେ ଗୀତ ଗାଆନ୍ତି । ଏହି ଦିନ ହିନ୍ଦୁ ମହାବିଦ୍ୟାଳୟର ଶହ ଶହ ପୁରୁଷ ଛାତ୍ର କୁମାରୀ ବୃକ୍ଷର ଚତୁର୍ଦ୍ଦିଗରେ ଏକତ୍ରିତ ହୋଇ ପୂଜା କରିବା ସହ ସେମାନଙ୍କର ପ୍ରକୃତ ପ୍ରେମ ପାଇବା ପାଇଁ ପ୍ରାର୍ଥନା କରିଥାଆନ୍ତି । କେତେକଙ୍କ ପାଇଁ, “ଭି-ଟ୍ରି ପୂଜା’ ଛାତ୍ରମାନଙ୍କୁ ପ୍ରେମ ସମ୍ପର୍କରେ ପ୍ରବେଶ କରିବା ସହ ସେମାନଙ୍କର କୁମାରତ୍ୱ ହରାଇବାକୁ ସାହାଯ୍ୟ କରଥାଏ । ବିଶ୍ୱାସ ରହିଛି ଯେ ଯେଉଁମାନେ ଭି-ଟ୍ରି ପୂଜାରେ ଅଂଶଗ୍ରହଣ କରନ୍ତି ସେମାନେ ଛଅ ମାସ ମଧ୍ୟରେ ପ୍ରେମ ସମ୍ପର୍କ ସ୍ଥାପନ କରିବେ ଏବଂ ଶୀଘ୍ର ସେମାନଙ୍କର କୁମାରତ୍ୱ ହରାଇବେ । ହିନ୍ଦୁ ମହାବିଦ୍ୟାଳୟର ଛାତ୍ରମାନେ ଏହି ବିବାଦୀୟ ପୂଜାକୁ ଏକ ବିବାଦୀୟ ଢ଼ଙ୍ଗରେ ମଧ୍ୟ ଆୟୋଜନ କରିଥାଆନ୍ତି । ସେମାନେ ଯେଉଁ କୁମାରୀ ଗଛକୁ ପୂଜା କରନ୍ତି ତା’କୁ କିସମ କିସମର କଣ୍ଡୋମ, ବଲିଉଡ ଅଭିନେତ୍ରୀଙ୍କ ପୋଷ୍ଟର ଏବଂ ବେଲୁନରେ ସଜାଇ ଥାଆନ୍ତି ।

Comments (0)
Add Comment