ଭାରତୀୟ ଭାଷା ପରସ୍ପରକୁ ସମୃଦ୍ଧ କରିଛନ୍ତ

ନୂଆଦିଲ୍ଲୀ, : ଭାଷା ହେଉଛି ସଂସ୍କୃତିର ବାହକ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ନୂଆଦିଲ୍ଲୀରେ ଆୟୋଜିତ ୯୮ତମ ସର୍ବଭାରତୀୟ ମରାଠୀ ସାହିତ୍ୟ ସମ୍ମିଳନୀକୁ ଉଦ୍‌ଘାଟନ କରି ଶ୍ରୀ ମୋଦୀ କହିଥିଲେ ଯେ ମହାରାଷ୍ଟ୍ରର ଅନେକ ସାଧୁ ମରାଠୀ ଭାଷାରେ ଭକ୍ତି ଆନ୍ଦୋଳନ ମାଧ୍ୟମରେ ସମାଜକୁ ଏକ ନୂତନ ଦିଗ ଦେଖାଇଛନ୍ତି । ସେ କହିଥିଲେ ଯେ ମରାଠୀ ଭାଷା ଏବଂ ମରାଠୀ ସାହିତ୍ୟ ସମାଜର ଶୋଷିତ ଏବଂ ଅବହେଳିତ ବର୍ଗଙ୍କ ପାଇଁ ସାମାଜିକ ମୁକ୍ତିର ଦ୍ୱାର ଖୋଲିବା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଛି । ଭାରତୀୟ ଭାଷା ମଧ୍ୟରେ କେବେ ବି ଭେଦଭାବ ହୋଇନାହିଁ ବୋଲି ସେ କହିଛନ୍ତି । ବରଂ ସେମାନେ ପରସ୍ପରକୁ ସମୃଦ୍ଧ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ୧୮୭୮ ମସିହାରୁ ୧୪୭ ବର୍ଷ ଧରି ଦେଶରେ ସର୍ବଭାରତୀୟ ମରାଠୀ ସାହିତ୍ୟ ସମ୍ମିଳନୀ ଅନୁଷ୍ଠିତ ହୋଇଆସୁଛି । ଦେଶ ଛତ୍ରପତି ଶିବାଜୀ ମହାରାଜଙ୍କ ରାଜ୍ୟାଭିଷେକର ୩୫୦ତମ ବାର୍ଷିକୀ ଏବଂ ପୁଣ୍ୟଶ୍ଳୋକଅହଲ୍ୟାବାଇ ହୋଲକରଙ୍କ ଜନ୍ମର ୩୦୦ ତମ ବାର୍ଷିକୀ ପାଳନ କରୁଥିବା ବେଳେ ଏହି ସମ୍ମିଳନୀ ଅନୁଷ୍ଠିତ ହେଉଛି ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତୀୟ ସମ୍ବିଧାନ ନିକଟରେ ୭୫ ବର୍ଷ ପୂରଣ କରିଛି । ତିନି ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ବିଶିଷ୍ଟ ସାହିତ୍ୟିକମାନଙ୍କ ସହ ଦଳଗତ ଆଲୋଚନା, ପୁସ୍ତକ ପ୍ରଦର୍ଶନୀ, ସାଂସ୍କୃତିକ
କାର୍ଯ୍ୟକ୍ରମ ଓ ଆଲୋଚନାଚକ୍ର ଅନୁଷ୍ଠିତ ହେବ । ଏଥିରେ ମରାଠୀ ସାହିତ୍ୟର କାଳଜୟୀ ପ୍ରାସଙ୍ଗିକତା ବିଷୟରେ ଆଲୋଚନା କରାଯିବ ଏବଂ ସମସାମୟିକ ଆଲୋଚନାରେ ଏହାର ଭୂମିକା ଅନୁସନ୍ଧାନ କରାଯିବ, ଯେଉଁଥିରେ ଭାଷା
ସଂରକ୍ଷଣ, ଅନୁବାଦ ଏବଂ ସାହିତ୍ୟକୃତି ଉପରେ ଡିଜିଟାଇଜେସନର ପ୍ରଭାବ ଭଳି ବିଷୟକୁ ଅନ୍ତର୍ଭୁକ୍ତ କରାଯିବ ।

Comments (0)
Add Comment