ଭାରତର କାର୍ଯ୍ୟାନୁଷ୍ଠାନ ଭୟରେ ଲୋକଙ୍କୁ ନିର୍ଦ୍ଦେଶ ଦେଲା ପାକିସ୍ତାନ

ନୂଆଦିଲ୍ଲୀ, : ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ସାରା ଦେଶରେ କ୍ରୋଧର ବାତାବରଣ ରହିଛି । ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ରାଜନେତାଙ୍କ ପର୍ଯ୍ୟନ୍ତ, ସମସ୍ତେ ପାକିସ୍ତାନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି । ସମଗ୍ର ଦେଶ ଏକମତ ଭାବରେ ଭାରତ ସରକାରଙ୍କୁ ଅନୁରୋଧ କରୁଛି ଯେ,
ଏବେ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)କୁ ଭାରତକୁ ଫେରାଇ ଆଣିବାର ସମୟ ଆସିଛି । ଭାରତ ସରକାରଙ୍କ ଦ୍ୱାରା ନିଆଯାଇଥିବା କଠୋର ନିଷ୍ପତ୍ତିରେ ପାକିସ୍ତାନ ଭୟଭୀତ । ଏହି ସମୟରେ, ପାକ୍ ଅଧିକୃତ କାଶ୍ମୀରରେ, ସ୍ଥାନୀୟ ପ୍ରଶାସନ ସୀମା ନିକଟରେ ରହୁଥିବା ଲୋକମାନଙ୍କୁ ଦୁଇ ମାସ ପାଇଁ ଖାଦ୍ୟ ସାମଗ୍ରୀ ମହଜୁଦ ରଖିବାକୁ ଅପିଲ୍ କରିଛି । ସମ୍ବାଦ ସରବରାହ ସଂସ୍ଥା ଏଏଫପିର ରିପୋର୍ଟ ଅନୁଯାୟୀ, ପିଓକେ ପ୍ରଧାନମନ୍ତ୍ରୀ ଚୌଧୁରୀ ଅନୱରୁଲ ହକ୍‌ ବିଧାନସଭାରେ କହିଛନ୍ତି ଯେ, ୧୩ଟି ନିର୍ବାଚନମଣ୍ଡଳୀରେ ଦୁଇ ମାସ ପାଇଁ ଖାଦ୍ୟ ସାମଗ୍ରୀ ସଂରକ୍ଷଣ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ଏହି ୧୩ଟି ନିର୍ବାଚନମଣ୍ଡଳୀରେ ଖାଦ୍ୟ, ଔଷଧ ଏବଂ ଅନ୍ୟାନ୍ୟ ସମସ୍ତ ମୌଳିକ ଆବଶ୍ୟକତା ଯୋଗାଇବା ପାଇଁ ୧ ବିଲିୟନ ଟଙ୍କାର ଏକ ଜରୁରୀକାଳୀନ ପାଣ୍ଠି ମଧ୍ୟ ସୃଷ୍ଟି କରାଯାଇଛି । ସେ କହିଛନ୍ତି ଯେ, ନିୟନ୍ତ୍ରଣ ରେଖା ପାଶ୍ୱର୍ବର୍ତ୍ତୀ ଅଞ୍ଚଳଗୁଡ଼ିକରେ ରାସ୍ତାର ରକ୍ଷଣାବେକ୍ଷଣ ପାଇଁ ସରକାରୀ ଏବଂ ବେସରକାରୀ ଯନ୍ତ୍ରପାତି ମଧ୍ୟ ନିୟୋଜିତ କରାଯାଉଛି । ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ସମ୍ପ୍ରତି କହିଛନ୍ତି ଯେ, ତାଙ୍କ ପାଖରେ ବିଶ୍ୱସ୍ତ ପ୍ରମାଣ ଅଛି ଯେ ଭାରତ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଛି । ଏହି ଭୟ ଯୋଗୁଁ, ପିଓକେରେ ପାକିସ୍ତାନ କର୍ତ୍ତୃପକ୍ଷ ଗୁରୁବାର ଦିନ ୧୦ ଦିନ ପାଇଁ ୧୦୦୦ରୁ ଅଧିକ ଧାର୍ମିକ ବିଦ୍ୟାଳୟ ବନ୍ଦ କରିଦେଇଛନ୍ତି । ୨୨ ଏପ୍ରିଲ ୨୦୨୫ରେ ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ଜଣ ପ୍ରାଣ ହରାଇଥିଲେ ଏବଂ ଅନେକ ଆହତ ହୋଇଥିଲେ । ଏହି ଆକ୍ରମଣ ପରେ, ଭାରତ ଆତଙ୍କବାଦୀମାନଙ୍କୁ ଏବଂ ସେମାନଙ୍କ ଆଡ୍ଡାଗୁଡ଼ିକୁ ଧ୍ୱଂସ କରିବାକୁ ପ୍ରତିଜ୍ଞା କରିଛି ।

Comments (0)
Add Comment