ବଜେଟ୍ ୨୦୨୫ : ଆସିପାରେ ନିଯୁକ୍ତି ଓ ଘରୋଇ ନିବେଶକୁ ଉପରେ ପ୍ରାଥମିକତା

ନୂଆଦିଲ୍ଲୀ,: ଫେବ୍ରୁଆରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୫-୨୬ ଆର୍ଥିକବର୍ଷର ବଜେଟ୍‌ ଦସ୍ତାବିଜକୁ ଉପସ୍ଥାପନ କରିବେ ।
ଏଥର ଅର୍ଥନୀତି ଆଗରେ ରହିଛି ଅନେକ ଆହ୍ୱାନ । ମନ୍ଥର ଅଭିବୃଦ୍ଧି ଏବଂ ଚାହିଦାକୁ ଟ୍ରାକ୍‌କୁ ଆଣିବା ପାଇଁ ଅର୍ଥମନ୍ତ୍ରୀ କରିପାରନ୍ତି ବଡ଼ ଘୋଷଣା । ଧୀମା ଅର୍ଥନୀତିକୁ ଏବେ ସାହାରା ଲୋଡ଼ା । ଏ ଦିଗରେ ବଜେଟ ପ୍ରସ୍ତାବ ଆସିବା ସ୍ୱାଭାବିକ । ଏଥର ବଜେଟ୍ରୁ ଅନେକ ଆଶା ରହିଛି । ମଧ୍ୟବିତ୍ତଙ୍କୁ ଟିକସ ରିହାତି, କୌଣସି ପ୍ରକାର ପ୍ରତିକୂଳ ବାହ୍ୟ ପରିବେଶକୁ ଆଖି ଆଗରେ ରଖି ଶିଳ୍ପଗୁଡ଼ିକ ପାଇଁ ଟାରିଫ୍‌ ସହାୟତା ଏବଂ ନିଯୁକ୍ତି ଓ ଘରୋଇ ନିବେଶକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରସ୍ତାବ ଆଣିପାରନ୍ତି ଅର୍ଥମନ୍ତ୍ରୀ ସୀତାରମଣ । ପ୍ରକ୍ରିୟା ସହ ଜଡ଼ିତ ଏକ ସୂତ୍ରରୁ ଏହା ଜଣାପଡ଼ିଛି । ଗତ ସପ୍ତାହରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏକ ବୈଠକ ହୋଇଥିଲା, ଯେଉଁଥିରେ ବଜେଟ୍‌କୁ ନେଇ ଅନେକ ଆଲୋଚନା ହୋଇଛି । ଆଗକୁ ମଧ୍ୟ ଏପରି ଆହୁରି ଅନେକ ବୈଠକ ହେବାକୁ ଯାଉଥିବା ଜଣାପଡ଼ିଛି । ବଜେଟ୍ରେ ସଂସ୍କାର, ଇଜ୍‌ ଅଫ୍ ଡୁଇଙ୍ଗ୍ ବିଜ୍‌ନେସ୍ ଏବଂ ଲିଭିଂ ଉପରେ ଗୁରୁତ୍ୱ ଦିଆଯାଇପାରେ । ଆଲୋଚନାମାନ ଆରମ୍ଭ ହୋଇଗଲାଣି । ବଜେଟ୍‌ରେ କିଛି ଦୃଢ଼ ସଂକେତ ଆସିପାରେ ବୋଲି ଜଣେ ଅଧିକାରୀ ନାମ ଗୋପନ ରଖି କହିଛନ୍ତି । ୨୦୨୪-୨୫ ଆର୍ଥିକବର୍ଷରେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ୪
ବର୍ଷର ସର୍ବନିମ୍ନ ସ୍ତର ୬.୪%କୁ ଖସିପାରେ ବୋଲି ଆକଳନ କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ଚାହିଦା ଏବଂ ନିବେଶ ବଢ଼ାଇବା ପାଇଁ
ପ୍ରସ୍ତାବ ଆସିପାରେ ବୋଲି ଅନୁମାନ କରାଯାଇଛି । ନୂଆ ଟିକସ ବ୍ୟବସ୍ଥାରେ ବ୍ୟକ୍ତିଗତ ଟିକସଦାତାଙ୍କ ପାଇଁ ରିହାତି ଉପରେ ଆଲୋଚନା ହୋଇଛି । କମ୍ପାନୀ ଟିକସର ସରଳୀକରଣ ଏବଂ ସହଜ ଟିଡିଏସ୍ ବ୍ୟବସ୍ଥା ଉପରେ ବି ଆଲୋଚନା ହୋଇଥିବା ଜଣାପଡ଼ିଛି  ସହରାଞ୍ଚଳରେ ଚାହିଦା ପ୍ରଭାବିତ ହୋଇଛି । ଏଭଳି ସ୍ଥିତିରେ ନୂଆ ଟିକସ ବ୍ୟବସ୍ଥା ଅଧୀନରେ ସ୍ଲାବକୁ ପ୍ରଶସ୍ଥ କରିବା ପାଇଁ ଦାବି ହେଉଛି । ବଜେଟ୍‌ରେ ଏହା ଉପରେ କିଛି ଘୋଷଣା ହୋଇପାରେ । ସମ୍ପ୍ରତି ବାର୍ଷିକ ୧୫ ଲକ୍ଷ ଟଙ୍କାର ଆୟ ଉପରେ ସର୍ବୋଚ୍ଚ ସ୍ଲାବ୍ ୩୦% ଲାଗୁଛି । ଟିକସ ବୋଝ କମାଇବା ଦ୍ୱାରା ସହରାଞ୍ଚଳରେ ଚାହିଦା ବଢ଼ିବ । ନିଯୁକ୍ତିକୁ ତ୍ୱରାନ୍ୱିତ କରିବା ପାଇଁ ବଜେଟ୍‌ରେ କିଛି ପ୍ରସ୍ତାବ ଆସିପାରେ । ନିର୍ବାଚନ ଯୋଗୁ ଚଳିତ ଆର୍ଥିକବର୍ଷରେ ସରକାରଙ୍କ ପୁଞ୍ଜି ବ୍ୟୟ କମିଛି । ଏଥର ବଜେଟ୍‌ରେ ଏହା ଉପରେ ଯଥେଷ୍ଟ ପ୍ରାଧାନ୍ୟ ଦେଇପାରନ୍ତି କେନ୍ଦ୍ର ସରକର । ଘରୋଇ ନିବେଶ ଠୁଳ କରିବା ଉପରେ ଜୋର ଦିଆଯାଇପାରେ । ଏହାସହିତ ଘରୋଇ ଶିଳ୍ପକୁ ଚୀନ୍‌ରୁ ଆସୁଥିବା ଶସ୍ତା ଆମଦାନିରୁ ବଞ୍ଚାଇବା ପାଇଁ ମୂଳ ସୀମା ଶୁଳ୍କରେ ବି ପରିବର୍ତ୍ତନ କରଯାଇପରେ । ଆମେରିକାରେ ରାଷ୍ଟ୍ରପତି ପଦରେ ଅବସ୍ଥାପିତ ହେବାକୁ ଯାଉଥିବା ଡୋନାଲ୍ଡ ଟ୍ରମ୍ପ ଚୀନ୍ ସାମଗ୍ରୀ ଉପରେ ଟାରିଫ୍‌ ବାଇବା ପାଇଁ ଘୋଷଣା କରିଛନ୍ତି । ଏହାଦ୍ୱାରା ଭାରତରେ ଚୀନ୍‌ର ଶସ୍ତା ସାମଗ୍ରୀର ଡମ୍ପିଂ ଆଶଙ୍କା ବଢ଼ିଯାଇଛି । ଏଭଳି କ୍ଷେତ୍ରରେ ଚୀନ୍ ସାମଗ୍ରୀ ଉପରେ ଲଗାମ ଲଗାଇବା ପାଇଁ ବଜେଟରେ କଠୋର ନୀତି ଆସିପାରେ । ସୂତ୍ର
ଅନୁସାରେ, ବିଦେଶୀ ନିବେଶ ବ୍ୟବସ୍ଥାକୁ ସହଜ କରିବାର ଉପାୟ ଉପରେ ବି ଆଲୋଚନା ହୋଇଛି ଏବଂ ବଜେଟ୍‌ରେ ଏହାର ଝଲକ ଦେଖିବାକୁ ମିଳିପାରେ ।

Comments (0)
Add Comment