ପ୍ରଥମଥର ସିଆରପିଏଫ୍ କୋବ୍ରା ୟୁନିଟରେ ମହିଳା କମାଣ୍ଡୋ

ନୂଆଦିଲ୍ଲୀ, ୬ ।୨ : ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ ସିଆରପିଏଫର ନକ୍ସଲ ବିରୋଧୀ ଜଙ୍ଗଲ ୱାରଫେୟରରେ ନିପୁଣ ସ୍ପେଶାଲ କୋବ୍ରା କମାଣ୍ଡୋ ୟୁନିଟରେ ପ୍ରଥମଥର ପାଇଁ ମହିଳା କମାଣ୍ଡୋ ସାମିଲ ହୋଇଛନ୍ତି । ଏମାନଙ୍କୁ ପ୍ରଶିକ୍ଷଣ ଦେଇ ନକ୍ସଲ ଦ୍ୱାରା ପ୍ରଭାବିତ ଅଞ୍ଚଳକୁ ପଠାଯିବ । ଶନିବାର ଦିନ ସିଆରପିଏଫ୍ ପ୍ରଥମଥର ନିଜର ମହିଳା ମିଲିଟାରୀ ବ୍ରାସ୍ ବ୍ୟାଣ୍ଡ ପ୍ରସ୍ତୁତ କରିଛି । ସିଆରପିଏଫ ଅନୁସାରେ, ୮୮ତମ ଅଲ ୱିମେନ୍ ବାଟାଲିୟନ୍ ରାଇଜିଙ୍ଗ୍ ଡେ ଅବସରରେ ଏହି ମହିଳା କମାଣ୍ଡୋଙ୍କୁ ମହିଳା ବ୍ରାସ୍ ବ୍ୟାଣ୍ଡ ସହ ପରିଚୟ କରାଇବା ସହ ସାମିଲ କରାଯାଇଛି । ଏମାନେ ସିଆରପିଏଫର ମହିଳା ବ୍ରାସ୍ ବ୍ୟାଣ୍ଡର ପ୍ରଥମ ଫୋର୍ସ । ମହିଳା ବ୍ରାସ୍ ବ୍ୟାଣ୍ଡ ଗଠନ ସହ ବାଦ୍ୟଯନ୍ତ୍ର ଦକ୍ଷତା ପାଇଁ ପ୍ରଶିକ୍ଷଣ ଦିଆଯିବ । ସିଆରପିଏଫ କହିଛି ଯେ, ୮୮ତମ ଅଲ୍ ୱିମେନ୍ ବାଟାଲିୟନ୍ ରାଇଜିଙ୍ଗ୍ ଡେ’ ସମାରୋହରେ ମହିଳା କମାଣ୍ଡୋଙ୍କୁ ସାମିଲ କରି ମହିଳା ସଶକ୍ତିକରଣ ଦିଗ ଆଡକୁ ଆଉ ପାଦେ ଆଗେଇଛି । ବିଶେଷ କରି ସିଆରପିଏଫର ୮୮ତମ ମହିଳା ବାଟାଲିୟନକୁ ଦୁନିଆର ପ୍ରଥମ ଅଲ୍ ୱିମେନ୍ ବାଟାଲିୟନ୍ ହେବାର ଗୌରବ ପ୍ରାପ୍ତ ହୋଇଛି । ଗୁରୁଗ୍ରାମ ସ୍ଥିତ କଦାରପୁର ସେଣ୍ଟରରେ ହୋଇଥିବା ସମାରୋହରେ ମୋଟ ୩୪ ମହିଳା କମାଣ୍ଡୋଙ୍କ ଏକ ପ୍ଲାଟୁନ କୋବ୍ରା ୟୁନିଟରେ ସାମିଲ ହୋଇଛନ୍ତି । ଏମାନଙ୍କୁ ୩ ମାସ କୋବ୍ରା ପ୍ରି-ଇଣ୍ଡକ୍ସନ୍ ଟ୍ରେନିଂ ଦିଆଯିବ । ଏମାନଙ୍କୁ ପ୍ରଶିକ୍ଷଣ ଫାଇରିଂ ଓ ବିଶେଷ ଅସ୍ତ୍ର, ସାମରିକ ଯୋଜନା, ଫିଲ୍ଡକ୍ରାଫ୍ଟ, ବିସ୍ଫୋରକ, ଓ ଜଙ୍ଗଲରେ ବଞ୍ଚିବାର କୌଶଳର ଆଗାମୀ ଲେଭଲର ଟ୍ରେନିଂ ଦିଆଯିବ ଯାହା ଏମାନଙ୍କ ଶାରୀରିକ କ୍ଷମତା ଓ ସାମରିକ କୌଶଳକୁ ସୁଦୃଢ କରିବ । ଟ୍ରେନିଂ ପୁରା ହେବାପରେ ଏହି ମହିଳା ଯୋଦ୍ଧାଙ୍କ ବ୍ୟାଚକୁ ସେମାନଙ୍କ କାଉଣ୍ଟରପାର୍ଟ ପୁରୁଷଙ୍କ ସହ ଏଲଡ଼ବ୍ୟୁଇ ଅଞ୍ଚଳରେ ନିୟୋଜିତ କରାଯିବ । ସିଆରପିଏଫର ମହାନିର୍ଦ୍ଦେଶକ ଏପି ମାହେଶ୍ୱରୀ କହିଛନ୍ତି ଯେ ସିଆରପିଏଫର ସଶକ୍ତ ମହିଳା ଯୋଦ୍ଧାଙ୍କର ଇତିହାସ ରହିଛି । ଫୋର୍ସରେ ନିଯୁକ୍ତ ସଂଯୁକ୍ତ ରାଷ୍ଟ୍ରର ଅନେକ ଶାନ୍ତି ଅଭିଯାନରେ ଭାରତ ଓ ବିଦେଶରେ ବୀରତ୍ୱ ପ୍ରଦର୍ଶନ କରି ଦେଶକୁ ଗୌରବାନ୍ୱିତ କରିଛନ୍ତି । ସଶକ୍ତ ମହିଳା ଏକ ସଶକ୍ତ ପରିବାର ଗଠନ କରନ୍ତି, ଅନ୍ତତଃ ରାଷ୍ଟ୍ରକୁ ସଶକ୍ତ କରି ଗଢିଥାନ୍ତି ।

Comments (0)
Add Comment