ଦିଲ୍ଲୀ ରେଳ ଷ୍ଟେସନରେ ଦଳାଚକଟା :

ନୂଆଦିଲ୍ଲୀ,: ରେଳଷ୍ଟେସନରେ ଶନିବାର ରାତିରେ ମହାକୁମ୍ଭ ଯାତ୍ରୀଙ୍କ ପ୍ରବଳ ଭିଡ଼ରୁ ଦଳାଚକଟା ଘଟି ୧୮ ଜଣ ପ୍ରାଣ
ହରାଇଛନ୍ତି । ୧୨ ଜଣ ଆହତ ହୋଇଛନ୍ତି । ଦିଲ୍ଲୀରୁ ପ୍ରୟାଗରାଜ ମହାକୁମ୍ଭକୁ ଯିବା ପାଇଁ ଥିବା ୨ଟି ସ୍ୱତନ୍ତ୍ର ଟ୍ରେନ୍ ପହଞ୍ଚିବାରେ ବିଳମ୍ବ ହେବାରୁ ଷ୍ଟେସନରେ ଭିଡ଼ ବଢ଼ିଥିଲା । ରାତି ପ୍ରାୟ ୧୦ଟା ବେଳେ ଟ୍ରେନ୍ ଧରିବା ପାଇଁ ୧୪ ଓ ୧୫ ନମ୍ବର ପ୍ଲାଟଫର୍ମରେ ଅନେକ ହଜାର ଶ୍ରଦ୍ଧାଳୁ ଭିଡ଼ ଜମାଇଥିଲେ । ଗହଳି ଏବଂ ଠେଲାପେଲା ମଧ୍ୟରେ ଅନେକ
ଯାତ୍ରୀ ତଳେ ପଡ଼ିଯାଇଥିଲେ । ସେମାନଙ୍କ ମଧ୍ୟରୁ ଆହତଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିବା ବେଳେ ୧୫ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ପରେ ଆଉ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ମୋଦି ସୋସିଆଲ ମିଡିଆ \”ଏକ୍ସ\’ରେ ଲେଖିଛନ୍ତି ଯେ, ନୂଆଦିଲ୍ଲୀ ରେଳ ଷ୍ଟେଶନରେ ଦଳାଚକଟା ଯୋଗୁ ମୁଁ ମର୍ମାହତ । ଯେଉଁମାନେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ମୋର ସମବେଦନାୟ ଆହତମାନେ ଶୀଘ୍ର ଆରୋଗ୍ୟ ହେଉ ବୋଲି ମୁଁ ପ୍ରାର୍ଥନା କରୁଛି । ଏହି ଦଳାଚକଟା ଦ୍ୱାରା ପ୍ରଭାବିତ ସମସ୍ତଙ୍କୁ କର୍ତ୍ତୃପକ୍ଷ ସହାୟତା କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଲେଖିଛନ୍ତି । ଦଳାଚକଟା ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ ର୍ଦ୍ଦେଶ ଦେଇଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଷ୍ଟେସନରେ ଥିବା ଯାତ୍ରୀମାନଙ୍କୁ ୪ଟି ସ୍ୱତନ୍ତ୍ର ଟ୍ରେନରେ ନିଆଯାଇଛି । ଆହୁରି ସ୍ୱତନ୍ତ୍ର ଟ୍ରେନ ଚଳାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍ଥିତି ନିୟନ୍ତ୍ରଣକୁ ଆସିଥିବା ରେଳ ମନ୍ତ୍ରୀ ସୂଚନା ଦେଇଛନ୍ତି  ଦିଲ୍ଲୀ ରେଳଷ୍ଟେସନ ଅଘଟଣକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ରାଷ୍ଟ୍ରପତି ।  ମୃତକଙ୍କ ପରିବାରକୁ ୧୦ ଲକ୍ଷ ଲେଖାଏ ସହାୟତା ଘୋଷଣା କରାଯାଇଥିବାବେଳେ ଗୁରୁତରଙ୍କ ପାଇଁ ୨.୫୦ ଲକ୍ଷ ଓ ଆହତଙ୍କୁ ୧ ଲକ୍ଷ ଟଙ୍କା ଘୋଷଣା କରାଯାଇଛି ।

Comments (0)
Add Comment