ନୂଆଦିଲ୍ଲୀ,: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ ପ୍ରଚାର ସୋମବାର ସନ୍ଧ୍ୟା ୬ଟାରେ ଶେଷ ହୋଇଛି । ଫେବ୍ରୁଆରୀ ୫ରେ ମତଦାନ ହେବ ଏବଂ ଫେବ୍ରୁଆରୀ ୮ରେ ଫଳାଫଳ ପ୍ରକାଶ ପାଇବ । ପ୍ରଚାରର ଶେଷ ଦିନରେ ରାଜନୈତିକ ଦଳ ଓ ନେତାମାନେ ଜନସାଧାରଣଙ୍କ ନିକଟରେ ପହଞ୍ଚିଥିଲେ । ଫେବ୍ରୁଆରୀ ୫ରେ ଦିଲ୍ଲୀର ୧୫.୬ ନିୟୁତ ମତଦାତା ସେମାନଙ୍କ ମତଦାନ ଅଧିକାର ବ୍ୟବହାର କରିବେ । ଏହା ପୂର୍ବରୁ ନିର୍ବାଚନ ଆୟୋଗ ଫେବ୍ରୁଆରୀ ୫ ତାରିଖ ସକାଳ ୭ଟାରୁ ସନ୍ଧ୍ୟା ସାଢ଼େ ୬ଟା ପର୍ଯ୍ୟନ୍ତ ଏକଜିଟ୍ ପୋଲ୍ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଏ ନେଇ ଦିଲ୍ଲୀର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି । ନିର୍ବାଚନ ଆୟୋଗ ତାଙ୍କ ଆଦେଶରେ କହିଛନ୍ତି ଯେ ସାଧାରଣ ଜନତା, ବିଶେଷ କରି ନ୍ୟୁଜ୍ ବ୍ୟୁରୋ, ମିଡିଆ ହାଉସ୍, ରେଡିଓ ଏବଂ ଟେଲିଭିଜନ ଚ୍ୟାନେଲ ଇତ୍ୟାଦି ଭାରତୀୟ ନିର୍ବାଚନ ଆୟୋଗଙ୍କ ବିଜ୍ଞପ୍ତି ନମ୍ବର ୫୭୬/ ଏକଜିଟ୍/୨୦୨୫/ଏସଡିଆର/ସେକ୍ସନ- ୧ ପ୍ରତି ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି, ଯେଉଁଥିରେ କୁହାଯାଇଛି ଯେ ଏକଜିଟ୍ ପୋଲ୍ ଫଳାଫଳ ଉପରେ ପ୍ରତିବନ୍ଧକ ଲଗାଯିବ । ଓପିନିଅନ୍ ପୋଲ୍, କିମ୍ବା ପ୍ରିଣ୍ଟ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ କିମ୍ବା ଅନ୍ୟ କୌଣସି ଉପାୟରେ ଅନ୍ୟ କୌଣସି ନିର୍ବାଚନ ସର୍ଭେ । ତେବେ ବିଶେଷ କରି ଦିଲ୍ଲୀ ନିର୍ବାଚନରେ ଏକ ହାଇଭୋଲ୍ଟେଜ ତ୍ରିକୋଣୀୟ ଲଢେଇ ହେବ । ଶାସକ ଆପ୍, ବିଜେପି ଓ କଂଗ୍ରେସ ମଧ୍ୟରେ କଡ୍ଡା ଟକ୍କର ଦେଖିବାକୁ ମିଳିବ । ସୋମବାର ପ୍ରଚାର ଶେଷ ଦିନ ଥିବାକୁ ସବୁ ରାଜନୈତିକ ଦଳ ଜୋରଦାର କ୍ୟାମ୍ପେନ କରିଛନ୍ତି । ପରସ୍ପରକୁ ଟାର୍ଗେଟ କରିଛନ୍ତି । ଭୋଟରଙ୍କୁ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦେଇଛନ୍ତି । ଭୋଟରଙ୍କୁ ମନେଇବାକୁ ସବୁ ବଳ ଲଗାଇ ଦେଇଛନ୍ତି । ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀ ଗସ୍ତ କରି ନିର୍ବାଚନ ରାଲିକୁ ସମ୍ବୋଧନ କରିବା ସହିତ ଶାସକ ଆପକୁ ଟାର୍ଗେଟ କରିଥିଲେ । ଆପ୍ ଗଡରେ ବିଜୟ ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛି ଭାରତୀୟ ଜନତା ପାର୍ଟି । ନିର୍ବାଚନ ତାରିଖ ଘୋଷଣା ପରେ ଦିଲ୍ଲୀ ଗସ୍ତ କରି ନିର୍ବାଚନୀ ରାଲିକୁ ସମ୍ବୋଧନ କରିବା ସହ ଆପକୁ ଟାର୍ଗେଟ କରିଥିଲେ । ଆପକୁ ‘ଆପଦା\’ ନାମ ଦେଇଥିଲେ ପ୍ରଧାନମନ୍ତ୍ରୀ । ଦିଲ୍ଲୀରେ ଆପ୍ ଯିବ ବିଜେପି ଆସିବ ବୋଲି ରଣ ହୁଙ୍କାର ଦେଇଥିଲେ ପିଏମ ମୋଦି । ପିଇବା ପାଣି, ଶିକ୍ଷା, ସ୍ୱାସ୍ଥ୍ୟ ଓ ମଦ ଦୁର୍ନୀତିକୁ ମୁଦ୍ଦା କରିଛି ଭାରତୀୟ ଜନତା ପାର୍ଟି । ତୃତୀୟ ଥର ଦିଲ୍ଲୀବାସୀଙ୍କ ବିଶ୍ୱାସ ଜିତିବାକୁ ଜୋରଦାର ପ୍ରସ୍ତୁତି କରୁଛି ଆମ୍ ଆଦମୀ ପାର୍ଟି । ଲୋକଙ୍କୁ ମାଳମାଳ ପ୍ରତିଶ୍ରୁତି ଦେଇଛି ଦଳ । କ୍ୟାମ୍ପେନ ଶେଷ ଦିନରେ ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ଛତରପୁର ଓ କାଲକାଜୀରେ ନର୍ବାଚନୀ ରାଲି କରିବେ । କାଲକାଜୀରୁ ମୁଖ୍ୟମନ୍ତ୍ରୀ ଆତିଶୀ ଦ୍ୱିତୀୟ ଥର ପାଇଁ ପ୍ରାର୍ଥୀ ହୋଇଛନ୍ତି । ସେପଟେ ଏଥିରୁ ବାଦ ପଡିନି ପ୍ରମୁଖ ରାଜନୈତିକ ଦଳ କଂଗ୍ରେସ । ଶିଲ୍ଲା ଦୀକ୍ଷିତଙ୍କ ପରେ ଆଉ ବିଜୟ ସ୍ୱାଦ ଚାଖିନାହିଁ କଂଗ୍ରେସ । ଏଥର କମବ୍ୟାକ କରିବ ବୋଲି ଆଶା ରଖିଛି କଂଗ୍ରେସ । ଆସନ୍ତା ଫେବ୍ରୁଆରୀ ୨୩ ତାରିଖରେ ଦିଲ୍ଲୀ ବିଧାନସଭା କାର୍ଯ୍ୟକାଳ ସରୁଛି । ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ପାଇଁ ଆସନ୍ତା ଫେବ୍ରୁଆରୀ ୫ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ । ୮ ତାରିଖରେ ଫଳାଫଳ ପ୍ରକାଶ ପାଇବ । ତୃତୀୟ ଥର ଦିଲ୍ଲୀବାସୀଙ୍କ ବିଶ୍ୱାସ ଜିତିବାକୁ କଳବଳ ଲଗାଇ ଦେଇଛି ଆମ୍ ଆଦମୀ ପାର୍ଟି । ମୋଟା ମୋଟି କହିବାକୁ ଗଲେ ଦିଲ୍ଲୀ ନିର୍ବାଚନ ପାଇଁ ଆପ୍, ବିଜେପି ଓ କଂଗ୍ରେସ ମଧ୍ୟରେ ଏକ ହାଇଭୋଲ୍ଟେଜ କ୍ୟାମ୍ପେନ ଦେଖିବାକୁ ମିଳିଛି । ସୋମବାର ସନ୍ଧ୍ୟା ୫ଟାରେ ପ୍ରଚାର ଶେଷ ହୋଇଛି । ଦିଲ୍ଲୀରେ ମୋଟ ୧.୫୫ କୋଟି ପଞ୍ଜୀକୃତ ଭୋଟର ରହିଛନ୍ତି । ସେମାନଙ୍କ ମଧ୍ୟରୁ ୮୩.୪୯ ଲକ୍ଷ ପୁରୁଷ ଭୋଟର ରହିଥିବା ବେଳେ ୭୧.୭୪ ଲକ୍ଷ ମହିଳା ଭୋଟର ରହିଛନ୍ତି । ପ୍ରଥମ କରି ୨.୦୮ ଲକ୍ଷ ଭୋଟର ମତଦାନ ସାବ୍ୟସ୍ତ କରିବେ । ୨୫.୮୯ ଲକ୍ଷ ଯୁବ ଭୋଟର ରହିଛନ୍ତି । ୧,୨୬୧ ତୃତୀୟ ଲିଙ୍ଗି ଭୋଟର ରହିଛନ୍ତି ।