ନୂଆଦିଲ୍ଲୀ,: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫ୍ଓ)ର କୋଟି କୋଟି ସଦସ୍ୟଙ୍କ ପାଇଁ ଏକ ବଡ଼ ଖବର
ଅଛି । ସରକାର ଏବେ ଇପିଏଫ୍ଓ ପାଇଁ ଏକ \”ସୁଧ ସ୍ଥିରୀକରଣ ସଂରକ୍ଷଣ ପାଣ୍ଠି\’ ସୃଷ୍ଟି କରିବାକୁ ବିଚାର କରୁଛନ୍ତି । ଏହାର ଲକ୍ଷ୍ୟ ହେବ ଇପିଏଫ୍ଓର ୬.୫କୋଟିରୁ ଅଧିକ ସଦସ୍ୟଙ୍କୁ ସେମାନଙ୍କର ଭବିଷ୍ୟନିଧି ପାଣ୍ଠି (ପିଏଫ୍) ଅବଦାନ ଉପରେ ଏକ ସ୍ଥିର ସୁଧ ହାର ପ୍ରଦାନ କରିବା । ରିପୋର୍ଟ ଅନୁଯାୟୀ, ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ ଏ ସମ୍ପର୍କରେ ଏକ ଆଭ୍ୟନ୍ତରୀଣ ଅଧ୍ୟୟନ ଆରମ୍ଭ କରିଛି । ଏହି ଅଧ୍ୟୟନ ଆଧାରରେ ଇପିଏଫ୍ଓ ସଦସ୍ୟମାନେ ସେମାନଙ୍କର ନିବେଶ ଉପରେ ପାଇବାକୁ ଥିବା ରିଟର୍ନ ବ୍ୟତୀତ ଏକ ସ୍ଥିର ସୁଧ ହାର ପାଇପାରିବେ । ବଜାରର ଉତ୍ଥାନ- ପତନର ପ୍ରଭାବରୁ ସଦସ୍ୟମାନଙ୍କୁ ସୁରକ୍ଷା ଦେବା ପାଇଁ ଏହି ପଦକ୍ଷେପ ନିଆଯାଉଛି ବୋଲି ବିଶ୍ୱାସ କରାଯାଉଛି । ରିପୋର୍ଟ ଅନୁଯାୟୀ, ଇପିଏଫ୍ଓ ପ୍ରତିବର୍ଷ ସୁଧରୁ ଅତିରିକ୍ତ ଆୟକୁ ଅଲଗା ରଖି ଏକ ରିଜର୍ଭ ପାଣ୍ଠି ସୃଷ୍ଟି କରିବ । ଏହି ପାଣ୍ଠି ଏପରି ସମୟରେ ବ୍ୟବହାର କରାଯିବ ଯେତେବେଳେ ଇପିଏଫ୍ଓର ନିବେଶରୁ ରିଟର୍ଣ୍ଣ ହ୍ରାସ ପାଇବ । ଏହା ସୁନିଶ୍ଚିତ କରିବ ଯେ ବଜାରର ଉତ୍ଥାନ-ପତନ ନିର୍ବିଶେଷରେ ସଦସ୍ୟମାନେ ଏକ ସ୍ଥିର ସୁଧ ହାର ପାଇବା ଜାରି ରଖିବେ । ବର୍ତ୍ତମାନ ଏହି ଯୋଜନା ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛି ଏବଂ ଏହି ବର୍ଷ ଶେଷ ସୁଦ୍ଧା ଏହାକୁ ଚୂଡ଼ାନ୍ତ କରାଯାଇପାରେ । ଯଦି ଏହି ଯୋଜନାକୁ ଇପିଏଫ୍ଓର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ (ସିବିଟି) ଠାରୁ ଅନୁମୋଦନ ମିଳେ, ତେବେ ଏହାକୁ ୨୦୨୬-୨୭ରୁ କାର୍ଯ୍ୟକାରୀ କରାଯାଇପାରେ । ଆପଣଙ୍କୁ କହିରଖୁଛୁ ଯେ, ଇପିଏଫ୍ଓର କେନ୍ଦ୍ରୀୟ ବୋର୍ଡର ଅଧ୍ୟକ୍ଷତା ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରୀ କରନ୍ତି ।