ନୂଆଦିଲ୍ଲୀ,: କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ବଡ଼ ଉପହାରୟ ୮ମ ବେତନ କମିଶନକୁ ମଞ୍ଜୁରୀ ପ୍ରଦାନ କଲା କେନ୍ଦ୍ର କ୍ୟାବିନେଟ୍ । ଫଳରେ କେନ୍ଦ୍ର ସରକାରଙ୍କ କର୍ମଚାରୀ ଓ ପେନଶନଧାରୀ ପାଇବେ ଏହାର ଲାଭ । ଏଥିପାଇଁ ସରକାର ଖୁବ୍ ଶୀଘ୍ର ଏକ କମିଟି ଗଠନ କରିବେ ।
ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ଏହାକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । କେନ୍ଦ୍ର କର୍ମଚାରୀ ସଂଗଠନ ଏଥିପାଇଁ କ୍ୟାବିନେଟ ସଚିବଙ୍କୁ ଭେଟି ଅଷ୍ଟମ ବେତନ କମିଶନ ଗଠନ କରିବାକୁ ଲଗାତାର ଦାବି କରୁଥିଲେ ।
ମୋଦି ସରକାରଙ୍କ ଏହି ନିଷ୍ପତ୍ତି ଏଭଳି ସମୟରେ ଆସିଛି, ଯେତେବେଳେ କେନ୍ଦ୍ରୀୟ କର୍ମଚାରୀ ଓ ପେନଶନରଙ୍କ ମହଙ୍ଗା ଭତ୍ତା ବଢାଇ ୫୩% କରି ଦିଆଯାଇଛି । କେନ୍ଦ୍ର କର୍ମଚାରୀ ଓ ପେନଶନର ଦୀର୍ଘ ସମୟ ଧରି ଏଭଳି ଆଶ୍ୱସ୍ଥି ପାଇବା ନେଇ ଆଶା କରିଥିଲେ । ତେବେ ଏପର୍ଯ୍ୟନ୍ତ ସଂସଦରେ ଯେତେବେଳେ ଏ ସମ୍ପର୍କରେ ପ୍ରଶ୍ନ ପଚରାଯାଉଥିଲା, ସରକାର ଏଭଳି କୌଣସି ପ୍ରପୋଜାଲ ଆସି ନାହିଁ ବୋଲି
କହୁଥିଲେ । କିନ୍ତୁ ହଠାତ ସରକାର ଏହି ଉପହାର କେନ୍ଦ୍ର କର୍ମଚାରୀଙ୍କୁ ଦେବାର ରାସ୍ତା ସଫା କରିଦେଇଛନ୍ତି । ଏଭଳି ସ୍ଥିତିରେ ଆଶା କରାଯାଉଛି କେନ୍ଦ୍ର ସରକାର ୧ ଜାନୁଆରୀ ୨୦୨୬ରୁ ଅଷ୍ଟମ ବେତନ କମିଶନ ଲାଗୁ କରିଦେବେ । ଏହାଦ୍ୱାରା ସର୍ବନିମ୍ନ ବେତନ ଓ ପେନଶନରେ ବଡ଼ ଧରଣର ପରିବର୍ତ୍ତନ ହେବାର ଆଶା ରହିଛି । ବେତନ କମିଶନ୍ ସମ୍ପର୍କିତ ଇତିହାସ ଉପରେ ଯଦି ନଜର ପକାଇବା ତେବେ ଏହା ପ୍ରତି ୧୦ ବର୍ଷରେ ବଦଳିଥାଏ । ସପ୍ତମ ବେତନ କମିଶନ୍ ପୂର୍ବରୁ ଚତୁର୍ଥ, ପଞ୍ଚମ ଓ ଷଷ୍ଠ ବେତନ କମିଶନର କାର୍ଯ୍ୟାକାଳ ସମାନ ରୂପରେ ୧୦ ବର୍ଷ ଥିଲା । କିନ୍ତୁ ଏଭଳି ଜରୁରୀ ନୁହେଁ । ଯଦି ବର୍ତ୍ତମାନ ସପ୍ତମ ବେତନ କମିଶନ କଥା ହେବା ତେବେ, ଏହାକୁ ୨୦୧୬ରେ ଲାଗୁ କଯାଇଥିଲା । ଡିସେମ୍ବର ୨୦୨୫ରେ ଏହା ୧୦ ବର୍ଷ ପୂରଣ କରିଥାନ୍ତା, କିନ୍ତୁ ଏହା ପୂର୍ବରୁ ସରକାର ବଡ଼ ଘୋଷଣା କରିଛନ୍ତି । ଅଷ୍ଟମ
ବେତନ କମିଶନ ଲାଗୁ ହେବାପରେ କେନ୍ଦ୍ର କର୍ମଚାରୀଙ୍କ ଦରମାରେ ବମ୍ପର ବୃଦ୍ଧି ହେବ । ରିପୋର୍ଟ ଅନୁସାରେ, ଫିଟମେଣ୍ଟ ଫାକ୍ଟର ଅତି କମରେ ୨.୮୬ ଧାର୍ଯ୍ୟ କରାଯାଇପାରେ । ଯଦି ଏଭଳି ହୁଏ ତେବେ କର୍ମଚାରୀଙ୍କ ସର୍ବନିମ୍ନ ବେସିକ୍ ସାଲାରୀ ସେହି ହିସାବରେ ବୃଦ୍ଧି ଦେଖିବାକୁ ମିଳିବ । ଏହା ୫୧,୪୮୦ ହୋଇପାରେ । ଉଲ୍ଲେଖନୀୟ ଯେ, ବର୍ତ୍ତମାନ ମନିମମ୍ ବେସିକ୍ ସାଲାରୀ ୧୮୦୦୦ ଟଙ୍କା ରହିଛି । ଏହା ସହ ସେ ହିସାବରେ ପେନଶନରଙ୍କୁ ମଧ୍ୟ ଲାଭ ମିଳିବ । ତାଙ୍କର ସର୍ବନିମ୍ନ ପେନଶନ୍ ବର୍ତ୍ତମାନ ୯୦୦୦ ଟଙ୍କା ରହିଛି, ତାହା ବଢିକି ୨୫,୭୪୦ ଟଙ୍କା ହୋଇଯିବ ।