ଭର୍ସ୍ତାପେନ୍ ଜିତିଲେ କାନାଡିଆନ୍ ଗ୍ରାଁ ପ୍ରି

ମଣ୍ଟ୍ରିଲ,୨୧ା୬: ତୀବ୍ର ସଂଘର୍ଷପୂର୍ଣ୍ଣ କାନାଡିଆନ୍ ଫର୍ମୁଲା ୱାନ୍ ଗ୍ରାଁ ପ୍ରିକୁ ବିଶ୍ୱବିଜେତା ତଥା ରେଡ୍ ବୁଲ୍ ଦଳର ଯୁବ ଚାଳକ ମ୍ୟାକ୍ସ ଭର୍ସ୍ତାପେନ୍ ଜିତି ନେଇଛନ୍ତି । ତା ସହ ଲଗାତାର ଦ୍ୱ ିତୀୟବର୍ଷ ପାଇଁ ବିଶ୍ୱବିଜେତା ହେବାର ନିକଟତର ହୋଇଛନ୍ତି । ୨୪ ବର୍ଷୀୟ ଭର୍ସ୍ତାପେନ୍ ପୋଲ୍‌ ପୋଜିସନ୍‌ରୁ ରେସ୍ ଆରମ୍ଭ କରିଥିଲେ । ତିନିଟି ସୁରକ୍ଷାଜନିତ ହସ୍ତକ୍ଷେପ ସହ ଫେରାରିର କାର୍ଲୋସ୍‌ ସେଞ୍ଜ୍‌ଙ୍କଠାରୁ ତୀବ୍ର ପ୍ରତିଦ୍ୱନ୍ଦ୍ୱ ିତାର ସମ୍ମୁଖୀନ ହେବା ସତ୍ତ୍ୱେ ଏହି ଆହ୍ୱାନପୂର୍ଣ୍ଣ ରେସ୍‌କୁ ନିଜ ଅପୂର୍ବ ରଣକୌଶଳ ବଳରେ ଜିତି ନେଇଥିଲେ । ସାତ ଥର ବିଶ୍ୱବିଜେତା ଲୁଇସ୍ ହାମିଲଟନ୍ ପୁଣି ଥରେ ପ୍ରଥମ ଦୁଇ ସ୍ଥାନରେ ରହିବାରେ ଅସମର୍ଥ ହୋଇଥିଲେ । ଦଳୀୟ ସାଥୀ ଜର୍ଜ ରସେଲଙ୍କ ଠିକ୍ ଆଗରେ ଅର୍ଥାତ୍‌ ତୃତୀୟ ସ୍ଥାନରେ ରହିଥିଲେ ସେ । ଅନ୍ୟପକ୍ଷରେ ନିଜ ୧୫୦ତମ ରେସ୍‌ରେ ଭର୍ସ୍ତାପେନଙ୍କର ଏହା ପ୍ରଥମ କାନାଡିଆନ୍ ଏବଂ ଚଳିତ ବର୍ଷର ଷଷ୍ଠ ଗ୍ରାଁ ପ୍ରି ବିଜୟ । ଏହା ମଧ୍ୟ ତାଙ୍କ ଖେଳ ଜୀବନର ୨୬ତମ ବିଜୟ ଥିଲା । ଚାଳକ ପଏଣ୍ଟ୍ ତାଲିକାରେ ଭର୍ସ୍ତାପେନ୍‌ (୧୭୫) ସଂପ୍ରତି ଦ୍ୱିତୀୟ ସ୍ଥାନରେ ଥିବା ନିଜ ଦଳର ସର୍ଗିଓ ପେରେଜ (୧୨୯)ଙ୍କଠାରୁ ୪୯ ପଏଣ୍ଟ ଆଗରେ ରହିଛନ୍ତି । ମାତ୍ର ୭୭ ପଏଣ୍ଟ ସହ ହାମିଲଟନ୍ ନୈରାଶ୍ୟଜନକ ଭାବେ ସପ୍ତମ ସ୍ଥାନରେ ଅଛନ୍ତି ।

Comments (0)
Add Comment