ବେଙ୍ଗାଲୁରୁ, : ନାଟକୀୟ ତଥା ଶେଷ ବଲ୍ ପର୍ଯ୍ୟନ୍ତ ଉତ୍କଣ୍ଠା ଭରି ରହିଥିବା ଆଇପିଏଲ୍ ମୁକାବିଲାରେ ଚେନ୍ନାଇ ସୁପରକିଙ୍ଗ୍ସକୁ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ୨ ରନରେ ପରାସ୍ତ କରିଛି । ତା\’ସହିତ ଏକାଦଶ ମ୍ୟାଚରୁ ଅଷ୍ଟମ ବିଜୟ ପାଇ ପ୍ଲେ ଅଫରେ ସ୍ଥାନ ପକ୍କା କରି ନେଇଛି । ଚେନ୍ନାଇ ଶନିବାର ପାରୁ ପର୍ଯ୍ୟନ୍ତ ଲିଥିଲେ ମଧ୍ୟ ଶେଷରେ ଏକାଦଶ ମ୍ୟାଚରୁ ନବମ ପରାଜୟ ବରଣ କରି ସବାଶେଷ ସ୍ଥାନରେ ଅପରିବର୍ତ୍ତିତ ରହିଛି । ୨୧୪ ରନର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଚେନ୍ନାଇ ୧୭ ବର୍ଷୀୟ ଆୟୁଷ ମହାତ୍ରେ (୯୪) ଏବଂ ରବୀନ୍ଦ୍ ଜାଡ଼େଜା (୭୭)ଙ୍କ ଲୁଆ ବ୍ୟାଟିଂ ପାଇଁ ଶେଷ ପର୍ଯ୍ୟନ୍ତ ବିଜୟ ଦୌଡ଼ରେ ରହିଥିଲା । ଶେଷ ଓଭରରୁ ଜିତିବା ପାଇଁ ୧୫ ରନ୍ ଦରକାର ଥିଲା ବେଳେ କିନ୍ତୁ ୨୧୧/୫ରେ ଅଟକି ଯାଇଥିଲା । ୟଶ୍ ଦୟାଲଙ୍କ ଘଟଣା ବହୁଳ ଶେଷ ଓଭରରେ ନୋ\’ବଲ୍, ଡିୱାଲ୍ଡ ବ୍ରେଭିସ୍ଙ୍କ ବିଳମ୍ବିତ ଓ ଅସଫଳ ଏଲବିଡବ୍ଲୁ ରିଭ୍ୟୁ, ମହେନ୍ଦ୍ର ସିଂହ ଧୋନିଙ୍କ ବ୍ୟାଟର ମୋଟେଇ ପରୀକ୍ଷା ଏବଂ ଆରସିବି ଖେଳାଳିମାନେ ଅନ୍ୟୁନ ୫ଟି ସହଜ କ୍ୟାଚ୍ ହାତଛଡ଼ା କରିବା ମ୍ୟାଚର ରୋମାଞ୍ଚକୁ ବହୁଗୁଣ ବଢାଇଥିଲା । ୪୦ ଓଭର ହାଇଭୋଲ୍ଟେଜ୍ କ୍ରିକେଟ୍ ପରେ କିନ୍ତୁ ଆରସିବି ବାଜି ମାରି ନେଇଥିଲା । ପୂର୍ବରୁ ଦୁଇଟି ରେକର୍ଡ ଭରା ଅର୍ଦ୍ଧଶତକ ବଳରେ ଆରସିବି ୨୧୩ ରନର ଆହ୍ୱାନଭରା ସ୍କୋର୍ କରିଥିଲା । ପ୍ରଥମରୁ ଦୁଇ ଓପନର ବିରାଟ କୋହଲି (୬୨) ଓ ଜ୍ୟାକବ ବେଥେଲ (୫୫) ୯୭ ରନ୍ ଯୋଡ଼ି ଦୃଢ ମୂଳଦୁଆ ପକାଇଥିଲେ । କୋହଲି (୬୨) ଆଇପିଏଲରେ ସର୍ବାଧିକ ଅର୍ଦ୍ଧଶତକ କରିବାରେ ଡେଭିଡ୍ ୱାର୍ଣ୍ଣରଙ୍କ ସମକକ୍ଷ ହୋଇଥିଲେ । ପୁଣି ଚଳିତ ଆଇପିଏଲର ସର୍ବାଧିକ ରନ୍ ସଂଗ୍ରହକାରୀ (୫୦୫) ହୋଇ ଗୁଜରାଟର ସାଇ ସୁଦର୍ଶନଙ୍କଠାରୁ ନାରଙ୍ଗୀ ଟୋପି ଛଡ଼ାଇ ନେଇଥିଲେ । କୋହଲି ଆଉଟ୍ ହେବା ପରେ ମାତ୍ର ୩୬ ରନରେ ୪ ୱିକେଟ୍ ହରାଇ ଆରସିବି ହଠାତ ଦିଗ ହରାଇଥିଲା । ତେବେ ଶେଷ ୩ ଓଭରରେ ରୋମାରିଓ ସେପାର୍ଡଙ୍କ ଧୂଆଁଧାର ଅର୍ଦ୍ଧଶତକ (୧୪ ବଲରୁ ୫୩ ରନ୍) ବଳରେ ୨୦୦ ଟପି ଯାଇଥିଲା । ରୋମାରିଓ କରିଥିବା ଅର୍ଦ୍ଧଶତକ ଆଇପିଏଲ୍ ଇତିହାସର ଦ୍ୱିତୀୟ ଦ୍ରୁତତମ ଅର୍ଦ୍ଧଶତକ ଥିଲା । ଯଶସ୍ୱୀ ଜୟସ୍ୱାଲ ୨୦୨୩ ମସିହାରେ କେକେଆର୍ ବିପକ୍ଷରେ ୧୩ ବଲରୁ ଅର୍ଦ୍ଧଶତକ ହାସଲ କରି ଏବେବି ଏହିକ୍ରମରେ
ଦ୍ରୁତତମ ମୁକୁଟ ନିଜ ପାଖରେ ରଖିଛନ୍ତି । ସେପାର୍ଡଙ୍କ ଆକ୍ରମଣାତ୍ମକ ମୁଦ୍ରା ପାଇଁ ଆରସିବି ଶେଷ ଦୁଇ ଓଭରରେ ଅବିଶ୍ୱସନୀୟ ଭାବେ ୫୪ ରନ୍ ଅମଳ କରି ନେଇଥିଲା । ତୃତୀୟ ତଥା ଶେଷ ପର୍ଯ୍ୟାୟ ସଂପୂର୍ଣ୍ଣ ଭାବେ ସେପାର୍ଡଙ୍କ ନାଁରେ ରହିଥିଲା । ୧୯ତମ ଓଭର ବୋଲିଂ କରିଥିବା ଖଲିଲ୍ ଅହମଦଙ୍କଠାରୁ ସେପାର୍ଡ ୩୩ ରନ୍ (୬, ୬, ୪, ୬, ୭, ୦, ୪) ଆଦାୟ କରିବା ନିର୍ଣ୍ଣାୟକ ହୋଇଥିଲା ।